ସଠିକ୍ ପ୍ରଶ୍ନ

Biography

ବର୍ଣ୍ଣାଳୀ ଦାସ

Sir C.V. Raman explaining the Raman Effect

  ଏସିଆ ମହାଦେଶରେ ବିଜ୍ଞାନରେ ପ୍ରଥମ ନୋବେଲ ପୁରସ୍କାର ବିଜେତା, ଯାହାଙ୍କର ଆଲୋକ କ୍ଷେତ୍ରରେ ହୋଇଥିବା ଯୁଗାନ୍ତକାରୀ ଗବେଷଣା ଆଜି ମଧ୍ୟ ବହୁ ଗବେଷକଙ୍କ ପାଇଁ ଉଲ୍ଲେଖନୀୟ ସୋପାନ | ବାଲ୍ୟ ଜୀବନରୁ ଅସାଧାରଣ ପ୍ରତିଭାଧାରୀ ମଣିଷ ପରବର୍ତୀ ଜୀବନରେ ସଫଳତାର ଶିଖରରେ ପହଁଚି ଆମ ମାନଙ୍କ ପାଇଁ ଏକ ଆଦର୍ଶ ସାଜିଛନ୍ତି | ଏହି ମହାନ ବୈଜ୍ଞାନିକ ଜଣକ ହେଉଛନ୍ତି ଚନ୍ଦ୍ରଶେଖର ଭେଙ୍କଟ ରମଣ |



  "‘କମ୍ପଟନ୍ ପ୍ରଭାବ’ (Compton Effect) ପାଇଁ ଏକ ଚାକ୍ଷୁଷ ଅନୁରୂପ ରହିବା ଆବଶ୍ୟକ। ଆମେ ନିଶ୍ଚୟ ଏହାକୁ ଅନୁସରଣ କରିବା ଉଚିତ ଏବଂ ଆମେ ସଠିକ୍ ରାସ୍ତାରେ ଅଛୁ। ଏହା ମିଳିବ ଏବଂ ନିଶ୍ଚୟ ମିଳିବ। ନୋବେଲ ପୁରସ୍କାର ଜିତିବା ଜରୁରୀ। " ଏହି ଶବ୍ଦଗୁଡ଼ିକ ଥିଲା ଜଣେ ଆତ୍ମବିଶ୍ୱାସୀ ଗବେଷକଙ୍କ ନିଜ ଛାତ୍ରକୁ | ସେହି ମୁହୂର୍ତ୍ତରୁ ଏକ ସମ୍ମାନଜନକ ପୁରସ୍କାର ପାଇଁ ଅପେକ୍ଷା ଆରମ୍ଭ ହେଲା | 1930 ନୋବେଲ ପୁରସ୍କାର ସେ ଜିତିବେ ବୋଲି ଏତେ ନିଶ୍ଚିତ ଥିଲେ ଯେ ସେ ବିଜେତା ଘୋଷିତ ହେବାର ଚାରି ମାସ ପୂର୍ବରୁ ସ୍ୱିଡେନକୁ ଟିକେଟ କାଟି ସାରିଥିଲେ। ଏହି ଗବେଷକ ଜଣକ ହେଲେ ସି.ଭି. ରମଣ (ଚନ୍ଦ୍ରଶେଖର ଭେଙ୍କଟ ରମଣ-Chandrasekhara Venkata Raman) |

C.V. Raman
Sir C.V. Raman
  କିଏ ଜାଣିଥିଲା ​​ଚନ୍ଦ୍ରଶେଖର ରାମନାଥନ୍ ଅୟର (Chandrasekhara Ramanathan Iyer) ଏବଂ ପାର୍ବତୀ ଅମ୍ମଲ (Parvathi Ammal) ଙ୍କ ଆଠଟି ସନ୍ତାନ ମଧ୍ୟରୁ ଦ୍ୱିତୀୟଟି ମାତ୍ର 42 ବର୍ଷ ମଧ୍ୟରେ ଦେଶର ଗୌରବ ହେବ। ମାତ୍ର 11 ବର୍ଷ ବୟସରେ ମାଟ୍ରିକ୍ ଏବଂ 13 ରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଅତୁଳନୀୟ ଶିଶୁ 7 ନଭେମ୍ବର 1888 ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସି,, ବ୍ରିଟିଶ୍ ଇଣ୍ଡିଆର ତିରୁଚିରାପଲିରେ ଜନ୍ମଗ୍ରହଣ କରିଥିଲେ (ବର୍ତ୍ତମାନ ଏହା ତାମିଲନାଡୁ, ଭାରତ)।

  1902 ମସିହାରେ, ସେ ପ୍ରେସିଡେନ୍ସି କଲେଜରେ ଯୋଗ ଦେଇଥିଲେ ଯେଉଁଠାରେ ତାଙ୍କ ପିତାଙ୍କୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଶିକ୍ଷକତା ପାଇଁ ବଦଳି କରାଯାଇଥିଲା | 1904 ରେ, ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କଲେ ଏବଂ ପଦାର୍ଥ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ଜିତିଲେ | 18 ବର୍ଷ ବୟସରେ, ସେ ସ୍ନାତକୋତ୍ତର ଛାତ୍ର ଥିବାବେଳେ, ସେ ତାଙ୍କର ପ୍ରଥମ ଗବେଷଣା ପତ୍ରକୁ 1906 ମସିହାରେ ବ୍ରିଟିଶ ପତ୍ରିକା ଫିଲୋସୋଫିକାଲ୍ ମାଗାଜିନ (Philosophical Magazine) ରେ ପ୍ରକାଶ କରିଥିଲେ। ତାଙ୍କର ଦ୍ୱିତୀୟ ଗବେଷଣା ପତ୍ର ପ୍ରକାଶିତ ହେବା ପରେ ଯେତେବେଳେ ପ୍ରସିଦ୍ଧ ଲର୍ଡ ରେଲି (Lord Rayleigh) ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ଏବଂ ଭୁଲ୍ ରେ 'ପ୍ରଫେସର ରମଣ ' ଭାବେ ସମ୍ବୋଧନ କରିଥିଲେ | ତେବେ 1907 ମସିହାରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ।

  ଯେହେତୁ ସେ ସମୟରେ ଏକ ବୈଜ୍ଞାନିକ ବୃତ୍ତି ଏତେ ଆକର୍ଷଣୀୟ ନଥିଲା, ରମଣ 1907 ମସିହାରେ ଭାରତୀୟ ଅର୍ଥ ବିଭାଗରେ ଯୋଗ ଦେଲେ। ସେ ସାର୍ ଜଗଦୀସ୍ ଚନ୍ଦ୍ର ବୋଷ (Jagdish Chandra Bose)ଙ୍କୁ ଏକ ସାକ୍ଷାତ୍କାରରେ ଏହା ସ୍ପଷ୍ଟ କରିଦେଇଥିଲେ ଯେ ସେ ତାଙ୍କ ଭଳି ପଦାର୍ଥ ବିଜ୍ଞାନ ମଧ୍ୟ ଜାଣିଥିଲେ। କେହି କେହି ଏହାକୁ ଆତ୍ମବିଶ୍ୱାସ ବୋଲି କହିଥିଲେ, କେହି କେହି ଏହାକୁ ଗର୍ବ ବୋଲି କହିଥିଲେ, କେହି କେହି ଏହାକୁ ଅହଂକାର ବୋଲି ମଧ୍ୟ କହିଥିଲେ କିନ୍ତୁ ଏହିପରି ସେ ସବୁ ବ୍ୟକ୍ତିତ୍ୱର ମିଶ୍ରଣ ଥିଲେ।

  ଯଦିଓ ତାଙ୍କୁ ଚାକିରି ସ୍ଥଳରେ ଅଧିକ ସମୟ ଦେବାକୁ ପଡୁଥିଲା, ସେ କଲିକତାରେ ଇଣ୍ଡିଆନ୍ ଆସୋସିଏସନ୍ ଫର କଲଭେସନ୍ ଅଫ୍ ସାଇନ୍ସର ଲାବୋରେଟୋରୀରେ ପରୀକ୍ଷାମୂଳକ ଅନୁସନ୍ଧାନ ମଧ୍ୟ କରୁଥିଲେ | ସେହି ବର୍ଷ ସେ ଲୋକସୁନ୍ଦରୀ ଅମ୍ମଲ (Lokasundari Ammal)ଙ୍କୁ ବିବାହ କଲେ। ସେମାନଙ୍କର ଦୁଇପୁତ୍ର ଥିଲେ ଚନ୍ଦ୍ରଶେଖର ରମଣ (Chandrasekhar Raman) ଏବଂ ରେଡିଓ-ଜ୍ୟୋତିର୍ବିଜ୍ଞାନୀ ଭେଙ୍କଟ୍ ରମନ୍ ରାଧାକ୍ରିଷ୍ଣନ୍ (Venkatraman Radhakrishnan)। ସି.ଭି. ରମଣ 1983 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ସୁବ୍ରମଣ୍ୟମ ଚନ୍ଦ୍ରଶେଖର (Subrahmanyan Chandrasekhar)ଙ୍କ କକା ଥିଲେ ।

  1921 ପୂର୍ବରୁ, ସେ ଏବଂ ତାଙ୍କ ଛାତ୍ରମାନେ ମୁଖ୍ୟତଃ ତିନୋଟି କ୍ଷେତ୍ର- ଆଲୋକ ବିଜ୍ଞାନ, ଧ୍ୱନି ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନରେ କାର୍ଯ୍ୟ କରିଥିଲେ | ତାଙ୍କ ପିତାଙ୍କ ପରି ରମଣ ଭାଓଲିନ (violin) ମଧ୍ୟ ବଜାଉଥିଲେ। ସଂଗୀତ ଏବଂ ଧ୍ୱନି ବିଜ୍ଞାନ ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା । 1918ରେ ରମଣଙ୍କର ଏକ ସର୍ବୋତ୍କୃଷ୍ଟ କୃତି ବାହାରିଲା ଯାହା ଭାଓଲିନ ପରିବାରରେ ଥିବା ବାଦ୍ୟଯନ୍ତ୍ରର କମ୍ପନ ଉପରେ ଆଧାରିତ ଥିଲା ।

  ଏ.ଏସ୍.ଆଇ (ASI- Astronomical Society of India) ର ବୈଠକରେ ସେ ଲୋକପ୍ରିୟ ବକ୍ତୃତା ପ୍ରଦାନ କରିଥିଲେ ଯାହା ସୋସାଇଟିର ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏ ବକ୍ତୃତା ଦୂରବୀକ୍ଷଣ ଯନ୍ତ୍ର ଏବଂ ତା ସାହାଯ୍ୟରେ କରାଯାଇଥିବା ଜ୍ୟୋତିର୍ବିଜ୍ଞାନିକ ପର୍ଯ୍ୟବେକ୍ଷଣରେ ବିବର୍ତ୍ତନ (diffraction) ଏବଂ ବ୍ୟତିକରଣ (interference) ଘଟଣାଗୁଡ଼ିକ ଉପରେ ଆଧାରିତ ଥିଲା | ଏହିପରି, ସେ ଏକ ଚନ୍ଦ୍ରଗ୍ରହଣ, ଶୁକ୍ର ଏବଂ ବୃହସ୍ପତି ଉପଗ୍ରହ ଉପରେ ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ଯରେ ପର୍ଯ୍ୟବେକ୍ଷଣ ମଧ୍ୟ କରିଥିଲେ।

  1921 ମସିହାରୁ ଆରମ୍ଭ କରି, ରମଣ ଏକ ନୂତନ ବିଷୟ, ଆଲୋକ ବିଜ୍ଞାନ ଉପରେ ଧ୍ୟାନ ଦେବା ଆରମ୍ଭ କଲେ ଏବଂ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ସେ ଏହି ବିଷୟରେ 42 ଟି ଗବେଷଣା ପତ୍ର ପ୍ରକାଶ କଲେ, କେତେକ ସହକର୍ମୀଙ୍କ ସହିତ | ସତ୍ୟ ଖୋଜିବା ପାଇଁ ଏପରି ନିଷ୍ଠାପର ପ୍ରୟାସର ଫଳାଫଳ ତାଙ୍କୁ ଅପେକ୍ଷା କରିଥିଲା ​​| ଉଲ୍ଲେଖନୀୟ ବୈଜ୍ଞାନିକଙ୍କ 21 ଟି ବୈଧ ସୁପାରିଶ ମଧ୍ୟରୁ 1930 ନୋବେଲ ପୁରସ୍କାର ପାଇଁ ରମଣଙ୍କୁ 10 ଥର ପ୍ରସ୍ତାବ ଦିଆଯାଇଥିଲା ଏବଂ ସେଠାରେ ସ୍ପଷ୍ଟ ବିଜେତା ଥିଲେ | ଆବିଷ୍କାରର ମାତ୍ର ଦୁଇ ବର୍ଷ ପରେ ହିଁ ସେ ନୋବେଲ ପୁରସ୍କାର ପାଇଲେ ଯାହା ଏକ ବିଶେଷ ଉପଲବ୍ଧି। ଆଲୋକର ବିସରଣ (diffusion) କାର୍ଯ୍ୟ ଏବଂ ରମଣ ପ୍ରଭାବ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା | ତାଙ୍କ କାର୍ଯ୍ୟରେ ତାଙ୍କ ଛାତ୍ର କେ. ଏସ୍. କ୍ରିଷ୍ଣନ୍ (K. S. Krishnan) ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Nobel prize ceremony 1930
Nobel prize ceremony 1930
  ତାଙ୍କର ଏହି ଛାତ୍ର, 1925 ମସିହାରେ ଏହା ପର୍ଯ୍ୟବେକ୍ଷଣ କରିଥିଲେ ଯେ, ଯେତେବେଳେ ଆଲୋକ ତରଳ ପଦାର୍ଥ ଦେଇ ଗତି କରେ, ସେତେବେଳେ ସାଧାରଣ ପ୍ରତ୍ୟାସ୍ଥ ପ୍ରକିର୍ଣ୍ଣନ (elastic scattering) ବ୍ୟତୀତ ଅନ୍ୟେକ ପ୍ରକିର୍ଣ୍ଣନ ରେଖା ଦେଖିବାକୁ ମିଳେ। ଏହି ଅନ୍ୟେକ ପ୍ରକିର୍ଣ୍ଣନ ରେଖା ସମ୍ବନ୍ଧୀୟ ଗବେଷଣା ପ୍ରସିଦ୍ଧ ରମଣ ପ୍ରଭାବକୁ ଆଗେଇ ନେଇଥିଲା ଯାହାକି ପଦାର୍ଥ ଦ୍ୱାରା ଆଲୋକର ଅପ୍ରତ୍ୟାସ୍ଥ ପ୍ରକିର୍ଣ୍ଣନ (inelastic scattering), ଅର୍ଥାତ୍ ଶକ୍ତିର ଆଦାନପ୍ରଦାନ ଏବଂ ଆଲୋକର ଦିଗରେ ପରିବର୍ତ୍ତନ କୁ ଦର୍ଶାଏ |

  ବିଜ୍ଞାନ କ୍ଷେତ୍ରରେ ଅବଦାନ ହେତୁ ରମଣଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା | ସେଗୁଡ଼ିକ ହେଉଛି ରୟାଲ୍ ସୋସାଇଟି ଫେଲୋ (Fellow of the Royal Society - 1924), ମ୍ୟାତେଉଚି ପଦକ (Matteucci Medal - 1928), ନାଇଟ୍ ବ୍ୟାଚେଲର୍ (Knight Bachelor - 1930), ହ୍ୟୁଜ୍ ପଦକ (Hughes Medal - 1930), ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (Nobel Prize in Physics - 1930), ଭାରତ ରତ୍ନ (Bharat Ratna - 1954), ଲେନିନ୍ ଶାନ୍ତି ପୁରସ୍କାର (Lenin Peace Prize - 1957) | ଏହି ମହାନ ବୈଜ୍ଞାନିକଙ୍କ ଦ୍ୱାରା ରମଣ ପ୍ରଭାବର ଆବିଷ୍କାର ପାଇଁ ପ୍ରତିବର୍ଷ 28 ଫେବୃଆରୀରେ ଭାରତରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ |

  ବାଙ୍ଗାଲୋରରେ ନିଜ ପରୀକ୍ଷାଗାରରେ କାମ କରୁଥିବା ବେଳେ ହୃଦ୍‌ଘାତର ଶିକାର ​​ହୋଇ 21 ନଭେମ୍ବର 1970 ରେ ଏହି ମହାନ ବୈଜ୍ଞାନିକଙ୍କର ମହାପ୍ରୟାଣ ଘଟିଲା । ଆମ ପାଇଁ ଛାଡିଯାଇଥିବା ତାଙ୍କର ବାର୍ତ୍ତା “ସଠିକ୍ ପ୍ରଶ୍ନ ପଚାର, ପ୍ରକୃତି ତା’ର ରହସ୍ୟର ଦ୍ୱାର ଖୋଲିଦବ।”

Editor's Note: (Summary in English)

Nobel laureate in Physics 1930 for his work on the scattering of light and for the discovery of the effect named after him, the Raman effect, C.V Raman not only inspired masses to embrace the brilliance of science but also encouraged them to always ask the right questions. He emphasized the importance of asking the right questions and nature would pave the way to unravel its mysteries. This article delves into the life and achievements of Sir Chandrasekhara Venkata Raman.

Bibliography

  1. C.V. Raman and the Raman Effect
  2. https://en.wikipedia.org/wiki/C._V._Raman

ବର୍ଣ୍ଣାଳୀ ଦାସ(Barnali Das) ଭୌତିକ ବିଜ୍ଞାନ ବିଭାଗ, IISER, କଲିକତା ବିଶେଷ ଆଗ୍ରହ – ଚିତ୍ର ଆଙ୍କିବା, ଗୀତ ଗାଇବା, ନୃତ୍ୟ କରିବା, ବିଜ୍ଞାନ ପ୍ରବନ୍ଧ ଲେଖିବା ହେଉଛି ତାଙ୍କର ଅନେକ ରୁଚି ମଧ୍ୟରୁ କିଛିଟା।

Related Articles

please subscribe to our newsletter

signup with your email to get the latest articles instantly



subscribe

Thank you for subscribing!

Please wait for a few moments while we add you to our mailing list...